Agantunkanka Desha America - Debi Nanda Prasanna
ସମ୍ପ୍ରତି ବିଶ୍ୱଭ୍ରମଣ ସହଜସାଧ୍ୟ ହେବା ପରିପ୍ରେକ୍ଷୀରେ ବହୁତ ଭ୍ରମଣ କାହାଣୀ ଲେଖାଯାଉଛି, କିନ୍ତୁ ଅଧିକାଂଶ ଭ୍ରମଣକାରୀଙ୍କ ଅନୁଭୂତିର ବ୍ୟାପକତା ତଥା ପରିବେଷଣର ମୌଳିକତା ବିନା କାହାଣୀଗୁଡ଼ିକ ସମ୍ପୂର୍ଣ୍ଣ ଶୁଷ୍କ ଓ ନିରସ ମନେ ହୁଅନ୍ତି । କିନ୍ତୁ ଦେବୀ ନନ୍ଦ ଜଣେ ସୃଜନଶୀଳ ସ୍ରଷ୍ଟ୍ରା, 'ଏକବର୍ଣ୍ଣୀ' ଭଳି ଏକ ଉପନ୍ୟାସ ଏବଂ ଅନେକ କବିତା ତଥା ପ୍ରବନ୍ଧମାନ ରଚନା କରି ପାଠକମାନଙ୍କୁ ମୁଗ୍ଧ କରିପାରିଛନ୍ତି ସେ । ଏଣୁ ନିଜସ୍ୱ ଭ୍ରମଣ ବୃତାନ୍ତ ବର୍ଣ୍ଣନା କଲାବେଳେ ତାଙ୍କ ଭିତରେ ଅନନ୍ୟ ସ୍ରଷ୍ଟାଟି ଯେଉଁଭଳି ଭାବେ ସୃଜନର ମଞ୍ଚ ଆରୋହଣ କରି ଲେଖକ-ପାଠକ-ଶ୍ରୋତାମାନଙ୍କୁ ଏକତ୍ରିତ କରି ସୃଜନର ଚମକରେ ଚମତ୍କୃତ କରିପାରିଛନ୍ତି ତାହା ଅନୁଧ୍ୟାନ କରିବା କଥା । ଏହା ବ୍ୟତୀତ ଭାଷାର ଏକ ସୁଦକ୍ଷ ବିନ୍ଧାଣୀ ହେଉଛନ୍ତି ଦେବୀ ନନ୍ଦ, କାବ୍ୟିକ ଭାଷାର ବ୍ୟବହାର କରି ଭ୍ରମଣ କାହାଣୀକୁ ଅତ୍ୟନ୍ତ ସରଳ ଓ ସାବଲୀଳ କରିଛନ୍ତି ଦେବୀ । କେତେକ ସ୍ଥଳରେ, ବିଶେଷକରି ଆମେରିକୀୟ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କଲାବେଳେ ସେ ଯେଉଁଭଳି ଆତ୍ମହରା ହୋଇପଡ଼ନ୍ତି ତାହା ଲକ୍ଷ୍ୟ କରିବା କଥା ।
ମାତ୍ର ଦେଢ଼ଟି ମାସର ଭ୍ରମଣର ପରିଧି ଭିତରେ ଭ୍ରମଣକୁ ଯେତେ ବ୍ୟାପକ କରିବା କଥା ତାକୁ କରିଛନ୍ତି ଦେବୀ ନନ୍ଦ । ନିଜକୁ ସେ ପରିଧିର କେନ୍ଦ୍ରବିନ୍ଦୁରେ ସ୍ଥାପନ କରି ପୁଅ, ପତ୍ନୀ, କନ୍ୟା ଓ ଭାଣେଜୀଙ୍କ ଭଳି ରକ୍ତ ସମ୍ପର୍କୀୟମାନଙ୍କୁ ପରିଧିର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଘଟଣା ସହ ସମ୍ପର୍କିତ କରିଛନ୍ତି । ଆମେରିକାର ପ୍ରମୁଖ ସ୍ଥାନ ଯଥା ଶିକାଗୋଠାରୁ ଆରମ୍ଭ କରି ଲାସ୍ ଭାଗାସ, ନ୍ୟୁୟର୍କ, ନ୍ୟାସଭିଲ, କାଲିଫର୍ଣ୍ଣିଆ ଓ ମ୍ୟାନହାଟେନ ବ୍ୟତୀତ ବଫେଲୋ ବିଶ୍ୱବିଦ୍ୟାଳୟ, ଟାଇମ ସ୍କୋୟାର, ନାଇଗ୍ରା ଫଲ, ଗ୍ରାଣ୍ଡ କାନ୍ୟାନ ତଥା ଷ୍ଟାଚ୍ୟୁ ଅଫ ଲିବର୍ଟି ଭଳି ବହୁ ଦର୍ଶନୀୟ ସ୍ଥାନ ପରିଦର୍ଶନର ବିସ୍ତୃତ ବିବରଣୀ ଦେଇଛନ୍ତି । ଏହା ବ୍ୟତୀତ ଆମେରିକାର ଇତିହାସ, ଅର୍ଥନୀତି ଓ ରାଜନୀତି ସହିତ ଏହାର ଲୋକମାନଙ୍କ ରୁଚି ଓ ଅଧ୍ୟବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ମଧ୍ୟ ଦେଇଛନ୍ତି ।
EAN: 9781645604730