Panchabhuta - Ruturaj Amrit
ସମ୍ବେଦନାରେ ରତ ରତ ମଣିଷପଣିଆକୁ ଗରମ ତେଲରେ ଯେତେ ଛାଣିଲେ ବି ସେ ଜଳିକି ଯେମିତି ପୋଡା ଅଙ୍ଗାର ହୁଏନି, ମରଣ ବି ସେମିତି ଜୀବନର ସତ୍ତାକୁ ସମ୍ପୂର୍ଣ୍ଣ ନିର୍ବାପିତ କରିପାରେନି । ମୃତ୍ୟୁ ଗୋଟେ ସାମୟିକ ବିଶ୍ରାମସ୍ଥାନ ଭଳି ଅଟକେଇ ଦିଏ ଏକ ମହାର୍ଘ ପର୍ଯ୍ୟଟନକୁ । ତା' ପରେ ବି ଆତ୍ମା ବୁଲେ, ପ୍ରଦିକ୍ଷଣ କରେ । ମୃତ୍ୟୁର ଆତ୍ମଜୀବନୀ ଉତ୍ତରଣ ହେଇଛନ୍ତି କବିତାର ପ୍ରଥମ ଭାଗରେ ।
ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ଆତ୍ମାର ଆତ୍ମକଥାରୁ । ମଲା ପରେ କ'ଣ ହୁଏ? ଏ ପ୍ରଶ୍ନ ଅସମାହିତ ଥିଲା ଆଉ ରହିବ ମଧ୍ୟ । କିନ୍ତୁ କଳ୍ପନାର ପାଟ ଗହୀର ତା' ବୋଲି କ'ଣ ବୀଜବପନରୁ ବଂଚିତ ହୋଇ ପଡିଆ ପଡିବ ? ଶରୀର ପରିତ୍ୟାଗ ପରେ ଆତ୍ମାର ବି ତ ସ୍ୱାଧୀନତା ଅଛି ନା । ଇହ ଲୋକର ଜଞ୍ଜାଳ ଭିତରେ ବାନ୍ଧି ହୋଇ ସେ ଧଳା-କଳା, ଇହୁଦୀ-ମୁସଲମାନ, ବ୍ରାହ୍ମଣ-କ୍ଷତ୍ରୀୟ, ପୁରୁଷ-ନାରୀ, ତାମିଲ-ଫରାସୀ, ଭାରତୀୟ-ମାର୍କିନ୍ ଇତ୍ୟାଦି କେତେ କେତେ ପରିଚୟ ନେଇ ବଞ୍ଚୁଥିଲା । ପ୍ରତିଟି ପରିଚୟ ଗୋଟେ ଗୋଟେ ବିଭାଜନକାରୀ । ତେବେ, ମୃତ୍ୟୁ ପରେବି କ'ଣ ଆତ୍ମା ଇଏ ପରିଚୟର ସଂକୀର୍ଣ୍ଣତାକୁ ବୋଝ ପରି ବୋହୁଥିବ?
କବିତାର ଦ୍ୱିତୀୟ ଭାଗ ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ଖୋଜିବାକୁ ଉପତ୍ୟକାରୁ ଉପତ୍ୟକା ବିଚରଣ କରିଛି । ନାନା ଜୀବନ୍ତ, ଜଡ ଉପାଦାନଙ୍କୁ ଭେଟିଛି । ହୁଏତ ବାସ୍ତବ ଉତ୍ତରରେ ପହଞ୍ଚିଛି କି ପହଞ୍ଚିନି ସେକଥା ପାଠକଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ନିର୍ଭରଶୀଳ, କିନ୍ତୁ ଏତିକି ଥୟ ଯେ ଆତ୍ମା ସହ ପାଠକ ମାନେ ମଧ୍ୟ ଏକ ଅତି ଭୌତିକ ପର୍ଯ୍ୟଟନରେ ସାମିଲ ହେବେ । ଏବଂ ଆଶା ଯେ ଆତ୍ମା ସହ ଏଇ ପରିଭ୍ରମଣ ସାଂପ୍ରତ୍ତିକ ଜୀବନର ଅବଶୋଷ, ଜଞ୍ଜାଳ, ଯନ୍ତ୍ରଣା ମାନଙ୍କୁ ମଧ୍ୟ ଅନେକ ପରିମାଣରେ ଆପଣଙ୍କ ମାନସିକ ବୋଝରୁ ଓଲ୍ହାଇ ଆପଣଙ୍କୁ ହାଲୁକା ଓ ସତେଜ ଅନୁଭବ କରିବାରେ ସହାୟକ ହେବ । ଆତ୍ମନ୍ ଓ ବ୍ରହ୍ମ ଏକ ହେଇପାରେ କିମ୍ବା ଅଲଗା ହେଇପାରେ, ମଣିଷ କିନ୍ତୁ ସ୍ୱଇଚ୍ଛାରେ ସ୍ୱାଧୀନତା ସହ ବଞ୍ଚୁ ଓ ସମ୍ବେଦନଶୀଳତାର ପୁଷ୍କରଣୀରେ ସବୁବେଳେ ଶରୀର ପ୍ରକ୍ଷାଳନ କରୁ , ମୃତ୍ୟୁ ଓ ଆତ୍ମା; ଉଭୟଙ୍କର ଏତିକି କାମ୍ୟ ।
--ଅମ୍ରିତ୍
EAN: 9781645605041